କାମ ଦେଉନି ନିଳମ୍ବନ ନାଲି ଆଖି। ସସପେଣ୍ଡକୁ ନେଇ ବିଜେଡିରେ ମହାଭାରତ। ବିଦ୍ରୋହୀ ବିଧାୟକଙ୍କ କ୍ରସ ଭୋଟିଂକୁ ୫ ଦିନ ବିତିଲାଣି। ସୁପ୍ରିମୋ କଡ଼ା ଆକ୍ସନ ନେଇ ୬ ବିଧାୟକଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି । ଏହି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଦେବୀ ତ୍ରିପାଠୀଙ୍କ ଯୁବ ଓ ଛାତ୍ର ଦଳର ୧୦ ସମର୍ଥକଙ୍କୁ ନିଲମ୍ବନ କରାଯିବା ପରେ ବିଜେଡିରେ ସୃଷ୍ଟି କରିଛି କମ୍ପନ। ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବାଣ ଫୁଟାଇ, ମିଠା ଖାଇ ଅଭିନବ ଉପାୟରେ ବିକ୍ଷୋଭ କରିଛନ୍ତି ନିଲମ୍ବିତ ଯୁବ ନେତା। ଯାହାକୁ ନେଇ ଥାନା ପର୍ଯ୍ୟନ୍ତ କେସ ଯାଇଛି। ତେବେ ଘଟଣାକୁ ମରଣାନ୍ତକ ଆକ୍ରମଣ ଦର୍ଶାଇ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବିଜେପି ନାଁରେ ଅଭିଯୋଗ ଆଣିଛନ୍ତି ପ୍ରତାପ।
ବିଧାୟକ ନଥାଇ କାହିଁକି ସରକାରୀ ବାସଭବନ ? ଦେବୀ ଜବାବ ରଖିଥିବା ବେଳେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ପ୍ରତାପ କେମିତି ସରକାରୀ କ୍ୱାଟର୍ସରେ ରହୁଛନ୍ତି। ବିଧାୟକ ନଥାଇ କାହିଁକି କ୍ୱାଟର୍ସରେ ରହୁଛନ୍ତି ତାର ତଦନ୍ତ ହେବା ଆବଶ୍ୟକ। ବିଜେପିର କେହି ଏହି ଘଟଣାରେ ସମ୍ପୃକ୍ତ ନାହାଁନ୍ତି, ବିଜେଡ଼ିର ଦଳୀୟ କନ୍ଦଳର ଏହା ପ୍ରତିଫଳନ। କ୍ରସ୍ ଭୋଟିଂ କରିଥିବା ୬ ବିଧାୟକଙ୍କ ଉପରେ ଆକ୍ସନ ନେଇଛି ବିଜେଡି। କେବଳ କାରଣ ଦର୍ଶାଅ ନୋଟିସ୍ କରି ଚୁପ୍ ବସିନାହିଁ।
କ୍ରସ ଭୋଟିଂ କରିଥିବା ବିଧାୟକମାନେ କାଠ ଗଡ଼ାକୁ ଟାଣିବାକୁ ଧମକ ଦେଇ ଅକଳରେ ପକାଇଛନ୍ତି ଶଙ୍ଖପତିଙ୍କୁ। ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା କହିଛନ୍ତି, କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଉତ୍ତର ସନ୍ତୋଷ ଜନକ ନୁହେଁ। ଶୃଙ୍ଖଳା କମିଟି ସେମାନଙ୍କ ଉତ୍ତରକୁ ତର୍ଜମା କରି ତାର ସାରାଂଶ ସଭାପତିଙ୍କ ଅନୁମୋଦନ ପାଇଁ ପଠାଇଥିଲା। ଦଳର ନୀତି ନିୟମ ଓ ସମ୍ବିଧାନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ନିଆଯାଇଛି। ସେପଟେ ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ନହେଲେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଚେତାବନୀ ଦେଇଛି।…