ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ସେପଟେ କଂଗ୍ରେସ ୮ ବିଧାୟକ ହ୍ବିପ୍ ଭାଙ୍ଗିଥିବା ଅଭିଯୋଗ ଆସିଛି। ୧୩ରୁ ୧୬ ଯାଏଁ ଭୁବନେଶ୍ବର ନ ଛାଡ଼ିବାକୁ ଥିଲା ନିର୍ଦ୍ଦେଶ।-ହ୍ବିପ୍ ଜାରି କରିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା। କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ବିପ୍ ନ ମାନି ବେଙ୍ଗଲୁରୁ ଯାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି,ସୋଫିଆ ଫିରଦୋସ,ଦାଶରଥୀ ଗମାଙ୍ଗୋ ଓ ରମେଶ ଜେନା ବେଙ୍ଗଲୁର ଯାଇନାହାନ୍ତି।
ତେବେ ଏନେଇ କଂଗ୍ରେସ ନେତାଙ୍କ ଭିତରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି ଶାସକ ଦଳ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଚେଷ୍ଟା କରୁଛି । ଆମ ବିଧାୟକଙ୍କୁ ଆମେ ଏକଜୁଟ କଲୁ । ଯେଉଁମାନେ ରହୁଛନ୍ତି ସେମାନେ କ୍ରସ ଭୋଟିଙ୍ଗ କରିବେ ନାହିଁ। ସେହିପରି କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଷ । ବାହାରକୁ ଯିବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ ।’ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସିଛୁ । ମୁଁ ଗଣମାଧ୍ୟମରୁ ଶୁଣିଲି, ମତେ କିଛି କୁହାଯାଇନାହିଁ ବୋଲି ସେ କହିଛନ୍ତି ।
ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ । ସେହିଭଳି ଭିନ୍ନ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି ଆମ ବିଧାୟକ । ଦୁଇ ଦିନ ପରେ ଆସିବେ, ବହୁତ ଦିନ ହେଲା କୁଆଡେ ଯାଇ ନ ଥିଲେ । ଏଥିରେ କିଛି ରାଜନୈତିକ ଅଭିଶନ୍ଧି ନାହିଁ । ଆମ ବିଧାୟକଙ୍କ ଉପର ବିଶ୍ୱାସ ଅଛି । ଘୋଡା ବେପାରରେ ସାମିଲ ହେବେନି ବୋଲି ସେ ରୋକ୍ ଠୋତକ୍ ଶୁଣାଇଦେଇଛନ୍ତି । ରାଜ୍ୟସଭା ରେସ ନେଇ ବଢୁଛି ସସ୍ପେନ୍ସ। କଂଗ୍ରେସ ଓ ବିଜେଡିରେ ପଶିଲାଣି ଛାନିଆ । ଖେଳ ହୋଇଯିବନି ତ ? କଂଗ୍ରେସ ଓ ବିଜେଡି ଶିବିରରେ ଛକାପଞ୍ଝା ସ୍ଥିତି। କଂଗ୍ରେସ ନିଜ ବିଧାୟକମାନଙ୍କୁ ନେଇ ବେଙ୍ଗୁଲୁରୁ ଚାଲିଯାଇଛି। ଆସନ୍ତା ୧୬ ତାରିଖ ଏହି ଟିମ୍ ସିଧା ବିଧାନସଭାରେ ଆସି ପହଞ୍ଚିବା ଯୋଜନା ରହିଛି ।