ପାଣ୍ଡିଆନ ଙ୍କ ଧମକ ଆଗରେ ଚୁପ୍ ସବୁ ନେତା
ତଳକୁ ଆସି ଦେଲେ ଖୋଲା ଧମକ
ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲ ଯାଇ ପ୍ରଥମ ମହଲରେ ଅପେକ୍ଷା କରିଥିବା ଦଳର ଆଗଧାଡ଼ିର ନେତାମାନଙ୍କୁ ଶୁଣାଇ ଖୋଲା ଚେତାବନୀ ଦେଇଥିଲେ ପାଣ୍ଡିଆନ। ସେ ଯାହାକୁ ଚାହିଁବେ ତାଙ୍କୁ ଚୁଟକିରେ ଓ ଗୋଟିଏ କଲରେ ଦଳରୁ ବିଦା କରିଦେବେ ବୋଲି ଧମକ ଦେଇଥିଲେ। ‘ମୁଁ ଡାଉନ୍ ଅଛି କିନ୍ତୁ ଦଳରୁ ବାହାରି ଯାଇନାହିଁ’ ବୋଲି କହି ନିଜର ଔଦ୍ଧତ୍ୟ ଦେଖାଇବାକୁ ପଛାଇ ନଥିଲେ। ତେବେ ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜର ଔଦ୍ଧତ୍ୟ ଓ ଏଭଳି କଡ଼ା ଶବ୍ଦ ପ୍ରୟୋଗ କରିଥିଲେ ମଧ୍ୟ ଏସବୁ ଶୁଣି ଦଳର ୭୦ରୁ ଅଧିକ ନେତା ପୂରା ନିସ୍ତବ୍ଧ ହୋଇ ବସି ରହିଥିଲେ। କେହି ମୁହଁ ଖୋଲିବାକୁ ବି ସାହାସ କରିପାରିନଥିଲେ। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ବିଶ୍ୱରଞ୍ଜନ ମଲ୍ଲିକଙ୍କଠୁ ଆରମ୍ଭ କରି ଦଳର ଯୁବ ଓ ଛାତ୍ର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।
ଅବଶ୍ୟ ପାଣ୍ଡିଆନ ସେଠାରୁ ଯିବା ପରେ ଏହି ନେତାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦଳର ଏତେ ବିପର୍ଯ୍ୟୟ ପରେ ମଧ୍ୟ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନଙ୍କ ଔଦ୍ଧତ୍ୟ ଏବେବି କାଏମ୍ ରହିଛି ଓ ଏଭଳି ଆଚରଣ ସତ୍ତ୍ୱେ କାହିଁକି ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଦଳୀୟ ନେତାମାନେ ପରସ୍ପରକୁ ପ୍ରଶ୍ନ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ହସ୍ପିଟାଲ ପରିସରରେ ସମସ୍ତଙ୍କ ସମ୍ମୁଖରେ ପାଣ୍ଡିଆନଙ୍କ ଏଭଳି ଆଚରଣ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏହି ବିଜେଡି ନେତାମାନେ ରାଜନୀତିରେ ବଂଚି ରହିବା ପାଇଁ କିଭଳି ନିଜର ପୁରୁଷାର୍ଥ ଓ ଆତ୍ମମର୍ଯ୍ୟାଦାକୁ ଭୂଲୁଣ୍ଠିତ କରିବାକୁ ପଛାଉ ନାହାନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଆଡ଼ୁ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରୁନଥିବାବେଳେ ପାଣ୍ଡିଆନ ନିଜ ଇନଷ୍ଟାଗ୍ରାମରେ ମାତ୍ର ୧୩ ସେକେଣ୍ଡର ଭିଡିଓ ଅପଲୋଡ୍ କରି ନବୀନ ସୁସ୍ଥ ଥିବାର ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି।