ଅଖା ବସ୍ତା ଭିତରୁ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ l ତେଵେ ନୀରିହା ନାବାଳିକାକୁ ହତ୍ୟା କରିବାର କାରଣ କଣ ଏବଂ ଏହି ନୃଶଂସ ହତ୍ୟା ପଛରେ କିଏ, ତାକୁନେଇ ସ୍ଥାନୀୟ ଅଞ୍ଚଳର ସବୁଠି ଚର୍ଚ୍ଚା l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପିଲା ଚୋରଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସର ତତ୍ପରତା ଯୋଗୁଁ ଲୋକେ ଆଶ୍ଵସ୍ତ ହୋଇଥିଲେ l କିନ୍ତୁ ଏଇ ନୃଶଂସ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି l ଏଭଳି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ l ଜଣେ ନାବାଳିକାଙ୍କ ହତ୍ୟା ଘଟଣା ଏବେ ଆତଙ୍କ ଖେଳାଇଦେଇଛି।
ଗତକାଲି ରାତିରୁ ନିଖୋଜ ଥିବା ନାବାଳିକା ଝିଅର ମୃତଦେହ ଆଜି ସକାଳେ ଅଖାବସ୍ତା ଭିତରୁ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇବା ସହିତ ଉତ୍ତେଜନା ସୃଷ୍ଟି କରିଛି।
ମୃତ ନାବାଳିକା ସ୍ଥାନୀୟ ରଞ୍ଜନ ବିନ୍ଧାଣୀଙ୍କ ଝିଅ ମାନସୀ ବିନ୍ଧାଣୀ (ମିଠି), ବୟସ ୧୪ ବର୍ଷ, ସେ ଶିଶୁ ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରୁ ସେ ନିଖୋଜ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ କରଞ୍ଜିଆ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ପୋଲିସ ତରଫରୁ ମଧ୍ୟ ଖୋଜାଖୋଜି ଚାଲିଥିଲା l
କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳ ପ୍ରାୟ ୭ରୁ ୮ଟା ସମୟରେ ସ୍ଥାନୀୟ ଲୋକେ ନିକଟସ୍ଥ ସରକାରୀ ଜାଳକାଠ ବିକ୍ରୟ କେନ୍ଦ୍ର ପାଖରେ ଥିବା ଏକ ବୁଦା ଗଛ ମୂଳରେ ଏକ ଅଖାବସ୍ତା ପଡ଼ିଥିବା ଦେଖିଥିଲେ। ସନ୍ଦେହ ହେବାରୁ ସେମାନେ ଏହି ବିଷୟରେ ନାବାଳିକାଙ୍କ ପରିବାରକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକେ ବସ୍ତା ଖୋଲି ଦେଖିବା ପରେ ନିଖୋଜ ଝିଅର ମୃତଦେହ ଦେଖି ଭୟଭୀତ ହୋଇଯାଇଥିଲେ।
ସଙ୍ଗେସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା। ଖବରପାଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଓ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଦେଖି କିଛି ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା, ପରେ ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ପରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସହିତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହା ହତ୍ୟା କି ଅନ୍ୟ କୌଣସି କାରଣରୁ ଘଟିଛି ଏବଂ କିଏ ମୃତଦେହକୁ ଅଖା ବସ୍ତାରେ ପୁରେଇ ଫିଙ୍ଗି ଦେଇଛି, ସେଥିପାଇଁ ପୋଲିସ ତଦନ୍ତ ଜାରି ରଖିଛି।