ପିଲା ଚୋର ଗୁଜବ ସାରା ମୟୂରଭଞ୍ଜ ଜିଲ୍ଲାରେ ଖେଳିଯାଇଥିଲା ବେଳେ ଏବେ ଏହି ଗୁଜବ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି l ଆଉ ଏହି ଗୁଜବରେ ପ୍ରଭାବିତ ହୋଇ ଲୋକେ ଭୁଲ ଠିକ ବିଚାର କରିବା ବଦଳରେ ଅଚିହ୍ନା ଲୋକଙ୍କୁ ଗାଁରେ ମାରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି l ନିକଟରେ ମୋରଡ଼ା ଥାନା ଅଞ୍ଚଳରେ ଏକ ମାନସିକ ଅନଗ୍ରସର ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ତେଣୁ ନିରୀହ ଲୋକଙ୍କୁ ପିଲା ଚୋର ଭାବେ ଆକ୍ରମଣ ନ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l
ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ସ୍ୱତନ୍ତ୍ର ବୈଠକ କରି ସଚେତନ କରାଯାଉଥିବା ବେଳେ ସୀମାନ୍ତ ଶୁଳିଆପଦା ଥାନା ପରିସର ମଧ୍ୟରେ ୧୬ଟି ପଞ୍ଚାୟତର ସରପଞ୍ଚ,
ଶୁଳିଆପଦା ଏକ୍ଜୁକୁଟିଭ ମାଜିଷ୍ଟେଟ ତଥା ତହସିଲଦାର ନାରାୟଣ ହେମ୍ବ୍ରମ ଓ ଶୁଳିଆପଦା ଥାନା ଅଧିକାରୀ ସତ୍ୟନାରାୟଣ ବଳଙ୍କ ସମେତ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ହୋଇ ସଚେତନତା ବୌଠକ ଅନୁଷ୍ଠିତ ହୋଇଯାଇଅଛି।
କୌଣସି ମିଥ୍ୟା ସମ୍ବାଦ କିମ୍ବା ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ କି କୌଣସି ସନ୍ଦେହଜନକ ବ୍ୟକ୍ତି ବିଶେଷ କିମ୍ବା ଘଟଣା ଦେଖିଲେ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରରେ ତୁରନ୍ତ ସୂଚନା ଦିଅନ୍ତୁ, ଗୁଜବକୁ ବିଶ୍ୱାସକରୀ ଆଇନକୁ ନିଜ ହାତକୁ ନିଅନ୍ତୁ ନାହିଁ ବୋଲି ଥାନା ଅଧିକାରୀ ସତ୍ୟନାରାୟଣ ବଳ ମତପ୍ରକାଶ କରୁଥିଲେ। ସମସ୍ତ ସରପଞ୍ଚ ନିଜ ନିଜ ପଞ୍ଚାୟତରେ ଯାଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି l