ଦିନକୁଦିନ ବଢିବାରେ ଲାଗିଛି ଗୋ ଚାଲାଣକାରୀଙ୍କ ପ୍ରାଦୁର୍ଭାବ l ପ୍ରଶାସନ ଆଖିରେ ଧୂଳିଦେଇ ଚୋରା ବାଟରେ ଗୋ ଚାଲାଣ ପାଇଁ ମୁଷ୍ଟିମେୟ ସ୍ଥାନୀୟ ଲୋକଙ୍କୁ ହାତଵାରିଶି କରି ହେଉଛି ଗୋ ଚାଲାଣ l ମାତ୍ର ଆଜି ବେଆଇନ ଗୋରୁ ଚାଲାଣ ବେଳେ ବାରିପଦାରେ ବଡ ଧରଣର ଚଢ଼ାଉ ହୋଇଥିବା ବେଳେ 152 ଗୋରୁ ଉଦ୍ଧାର l
ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଞ୍ଚାୟତ ଅଧୀନ ଝିଲିମିଲି ଗ୍ରାମ ନିକଟରୁ l ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ଖବରପାଇ ଏକ ବଡ଼ ଧରଣର ଚଢ଼ାଉ କରିଛି ପୋଲିସ l ରାଜାବସା ନିକଟରେ ଏକ ନିଛାଟିଆ ସ୍ଥାନରେ ଦେଢ଼ଶହ ଗୋରୁକୁ ବନ୍ଧା ହୋଇ ରଖାଯାଇଥିବା ବେଳେ ସେଗୁଡ଼ିକ ଉଦ୍ଧାର କରି ଚାକୁଳିଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି l
ବାରିପଦା ସହର ଦେଇ ଯାଇଥିବା ବାରିପଦା – କୋଷ୍ଠା ରାସ୍ତା ହେଉଛି ଆନ୍ତଃରାଜ୍ୟ ଗୋ ଚୋରା ଚାଲାଣର ମୁଖ୍ୟରାସ୍ତା l ଏହି ରାସ୍ତାର ରାଜାବସା ନିକଟରେ ଥିବା ନିଛାଟିଆ ଜଙ୍ଗଲରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଗୋରୁ ଗାଈ ମାନଙ୍କୁ ଆଣି ଜଙ୍ଗଲରେ ଏକତ୍ର କରାଯାଏ l ପରେ ଏଠାରୁ ଗୋଟିଏ ଦିନ ବିଶ୍ରାମ ପରେ କୋଷ୍ଠା , ଶୁଳିଆପଦା ରାସ୍ତା ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରା ଯାଇଥାଏ l
ଆଜି ଗୋ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କିଛି ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ହୋ ହାଲ୍ଲା କରିବା ପରେ ଗୋ ଚାଲାଣକାରୀ ତସ୍କରମାନେ ଖସି ପଳାଇଥିଲେ l ପରେ ଗୋ ସୁରକ୍ଷା କର୍ମୀମାନେ ପୋଲିସକୁ ଖବର ଦେବାରୁ ବାରିପଦା ସଦର ଥାନା ପୋଲିସ ଏବଂ ଶୁଳିଆପଦା ପୋଲିସ ଏହି ଗୋରୁ ଗୁଡ଼ିକ ଉଦ୍ଧାର କରିଛନ୍ତି l
ସେହିପରି ଖବର ଦେବାପରେ ପଶୁ ଚିକିତ୍ସକମାନେ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଗୋରୁ ଗାଈମାନଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି l
ବାରିପଦା ସଦର ଥାନା ପୋଲିସ ଆଜି ୧୫୨ ଟି ଗୋରୁ ଉଦ୍ଧାର କରିଥିବା ବେଳେ ସେଥିରୁ ଅନେକ ଗାଈ ମଧ୍ୟ ରହିଥିବା ଜଣାପଡ଼ିଛି l
ଏହା ପୂର୍ବରୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥ ଝାରପୋଖରିଆ ଥାନା ଅଞ୍ଚଳରୁ ତିନିଶହରୁ ଉର୍ଦ୍ଧ୍ୱ ଗୋରୁକୁ ଗତ ଫେବୃଆରୀ ମାସରେ ଉଦ୍ଧାର କରା ଯାଇଥିଲା l
ଏହା ସହ ଗତ ୧୭ ଫେବୃଆରୀରେ ରାଇରଙ୍ଗପୁର ଝାରପୋଖରିଆ ଏବଂ ବିଭିନ୍ନ ଅଞ୍ଚଳରେ ଏକ ସଙ୍ଗେ ସାତଟି ଗୋରୁ ମାଫିଆଙ୍କ ଘରେ ଚଢ଼ାଉ କରାଯାଇ ବିପୁଳ ଟଙ୍କା ,ସୁନା ଗହଣା ଅଳଙ୍କାର ମଧ୍ୟ ଜବତ କରା ଯାଇଥିଲା l