ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପାର୍ଟିରୁ ବିଦା ହେଲେ ବିଜେଡିର ବରିଷ୍ଠ ନେତା ପ୍ରଭାତ। ଚୌଦ୍ୱାର-କଟକରୁ ୨ ଥର ବିଧାୟକ ହୋଇଥିଲେ ପ୍ରଭାତ। ବାପାଙ୍କ ପରେ ପ୍ରଭାତଙ୍କ ପୁଅ ସୌଭିକ ଏବେ ବିଜେଡିରୁ ବିଧାୟକ ଅଛନ୍ତି। ହେଲେ ଆଜି ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀ, ଜଣେ ହେଲେ ସନ୍ତୃପ୍ତ ମିଶ୍ର ଓ ଅନ୍ୟଜଣେ ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଥିଲେ ନବୀନ। ଆଉ ଏହି କଥାକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କ ସହ ଯୁକ୍ତିତର୍କ କରିଥିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସନ୍ତୃପ୍ତ ମିଶ୍ରଙ୍କ ପାର୍ଥୀ ହେବାକୁ ନେଇ ଚ୍ୟାଲେଞ୍ଜ କରିଥିଲେ ପ୍ରଭାତ। ସେ ପୁଣି ସିଧାସଳଖ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କଲେ।କେବଳ ସେତିକି ନୁହେଁ ନବୀନଙ୍କ ପ୍ରକୋଷ୍ଠରେ ନବୀନ ପଟ୍ଟନାୟକ ଏବଂ ପ୍ରଭାତଙ୍କ ଭିତରେ ଉଚ୍ଚବାଚ, ଯୁକ୍ତିତର୍କ ହୋଇଥିଲା। ଯାହାର ପରିଣାମ ତାଙ୍କୁ ଦଳରୁ ବହିଷ୍କାର କରିଦେଲେ ଦଳ ସୁପ୍ରିମୋ।
ସୂଚନାଯୋଗ୍ୟ, ପ୍ରଭାତ ବିଶ୍ଵାଳ ୨୦୦୪ରେ ସ୍ଵାଧୀନ ପ୍ରାର୍ଥୀ ଭାବେ କଟକ ସଦରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ପରେ ସେ ବିଜେଡିରେ ମିଶିଥିଲେ। ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ କଟକ ଚୌଦ୍ଵାରରୁ ନିର୍ବାଚନ ଲଢି କ୍ରମାଗତ ବିଧାନସଭା ଯାଇଥିଲେ। ସେ ଦଳର ସଂଗଠନରେ ଅନେକ ପଦରେ ରହି କାମ କରିଛନ୍ତି। ତେବେ ଚିଟ୍ ଫଣ୍ଡ ଦୁର୍ନୀତିରେ ବିବାଦ ଘେରରେ ରହିଥିଲେ ପ୍ରଭାତ। ତାଙ୍କ ଘରେ ସିବିଆଇ ରେଡ୍ ହୋଇଥିଲା। ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ଏବଂ ପରେ ହଟାଇ ଦିଆଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କ ପୁଅ ସୌଭିକ ବିଶ୍ଵାଳ ବିଜେଡିରେ ମିଶିଥିଲେ। ୨୦୧୯ ନିର୍ବାଚନରେ ପ୍ରଭାତଙ୍କ ବଦଳରେ ପୁଅ ସୌଭିକ ନିର୍ବାଚନ ଲଢି ଜିତିଥିଲେ।
ପୁଣି ୨୦୨୪ରେ ପାର୍ଟି ବିରୋଧୀ ଲହର ପରେ ବି ସୌଭିକ ନିର୍ବାଚନ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦଳରେ ଏକ ଘରିଆ ହେବାରେ ଲାଗିଥିଲେ ପ୍ରଭାତ ବିଶ୍ଵାଳ। ଏହା ସହ ପାର୍ଟି ଆଭିମୁଖ୍ୟ ବିପରୀତ ବୟାନ ଦେଇ ଚାଲିଥିଲେ ପ୍ରଭାତ ବିଶ୍ଵାଳ। ଯାହାର ପରିଣାମ ଆଜି ତାଙ୍କୁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳରୁ ବିଦା କରାଯାଇଛି। ପ୍ରଭାତଙ୍କ ବହିଷ୍କାର ଦଳର ରାଜନୀତିକୁ ସରଗରମ କରିଛି।