ଚୋରା ପ୍ରେମର ନିଶା ବଡ଼ ସାଙ୍ଘାତିକ l ଆଉ ଚୋରା ପ୍ରେମର ନିଶାରେ ପଡ଼ିଲେ ସ୍ଥିତି, ଅବସ୍ଥିତି ଏବଂ ପରିସ୍ଥିତିକୁ ଖାତିର ରୁହେନି l ଭୁଲିଯାଏ ନିଜର ସାମାଜିକ ଦାୟିତ୍ୱବୋଧ l ପଛରେ ପକାଇ ଦିଏ ଘର, ସଂସାର ଆଉ ପିଲା, ଛୁଆ, ସ୍ୱାମୀସ୍ତ୍ରୀ କି ପାରିବାରର ମାୟାମମତା l କେବଳ ଥାଏ ପ୍ରେମିକା ଆଖିରେ ପ୍ରେମିକର ଛବି l ଆଉ ମନ ଆନ୍ଦୋଳିତ ହେଉଥାଏ କେତେବେଳେ ଫୁରୁସତ ପାଇ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଏକାନ୍ତ ସମୟ ବିତାଇବ ଚୋରା ପ୍ରେମିକ ସହିତ l
ଏହି ମିଳନର ଭାବନାକୁ ବାସ୍ତବରୂପ ଦେବା ପାଇଁ ଭୁଲିଯାଏ ନିଜର ମାନ ସମ୍ମାନ ଏବଂ ପରିବାର ପ୍ରତି ଥିବା ଦାୟୀତ୍ୱ l ଶେଷରେ ନିଜ ବିବେକ, ବିଚାର ଓ ଦାୟିତ୍ୱବୋଧକୁ ପଛରେ ପକାଇ ସ୍ୱାମୀ, ଛୁଆ, ପିଲା ଏବଂ ପରିବାରର ମମତାକୁ ଭୁଲି ଘର ଛାଡି ଚୋରା ପ୍ରେମିକ ସହିତ ପଳାଇ ଯିବା ଭଳି ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି l ପ୍ରେମ କରି ପରିବାର ଭାଙ୍ଗିଦେଲା ସ୍ତ୍ରୀ,ସ୍ୱାମୀ ଜଣକ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି, ଘରେ ଛୋଟ ପୁଅକୁ ନେଇ କାନ୍ଦୁଛନ୍ତି l
ଅଭିଯୋଗ ଆସିଛି ଯେ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି, ତାଙ୍କୁ ଓ ତାଙ୍କ ନାବାଳିକା ଝିଅକୁ ନେଇ ଫେରାର ହୋଇଯାଇଛନ୍ତି l ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ l ମିଳିଥିବା ସୂଚନା ଅନୁଯାୟୀ
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ କାଣୀମହୁଲି ପଞ୍ଚାୟତ ଅଞ୍ଚଳର ସୁନୀଲ କୁମାର ମୁଖୀ ସ୍ଥାନୀୟ ଅଞ୍ଚଳରେ ଜଣେ ନେତା ଭାବେ ପରିଚିତ l କିନ୍ତୁ ଏବେ ସେ ଗୁରୁତର ଅଭିଯୋଗରେ ଛନ୍ଦି ହୋଇ ପଡ଼ିଛନ୍ତି l
ଅଭିଯୋଗ ଅନୁସାରେ, ଶୁଳିଆପଦା ବ୍ଲକ ଅନ୍ତର୍ଗତ କୋଷ୍ଠା ପଞ୍ଚାୟତ ଅଧୀନ ବଡବଇଁଚା ଗାଁର ବାଦଲ ମୁଖୀଙ୍କ ସ୍ତ୍ରୀ ରଶ୍ମିତା ମୁଖୀଙ୍କ ସହ ସୁନୀଲଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା l ବାଦଲ ମୁଖୀଙ୍କ ଅଭିଯୋଗ ଯେ, ସୁନୀଲ ପୂର୍ବରୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଯିବାଆସିବା କରୁଥିଲେ l ଏହି ସମୟରେ ତାଙ୍କ ସ୍ତ୍ରୀ ସହ ସମ୍ପର୍କ ବଢ଼ାଇ ସୁଯୋଗ ଦେଖି ରଶ୍ମିତାଙ୍କୁ ନେଇ ଫେରାର ହୋଇଯାଇଥିବା କହିଛନ୍ତି ବାଦଲ l
ବାଦଲ ମୁଖୀଙ୍କ କହିବା ଅନୁଯାୟୀ, ତାଙ୍କ ଦୁଇଟି ସନ୍ତାନ ରହିଛି l ନାବାଳକ ବଡ଼ ପୁଅକୁ ଘରେ ଛାଡ଼ି ରଶ୍ମିତା ତାଙ୍କ ଅଢେଇ ବର୍ଷର ନାବାଳିକା ଝିଅକୁ ନେଇ ସୁନୀଲଙ୍କ ସହ ଫେରାର ହୋଇଯାଇଛନ୍ତି l ଏହି ଘଟଣା ପରେ ବାଦଲ ମୁଖୀ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ଏବେ ସେ ଛୋଟ ପୁଅକୁ ସମ୍ଭାଳିବା ସହିତ ଘରକାମ କରିବା ଓ ବାହାରେ ରେଷେୟା ଭାବେ କାମ କରି ପରିବାର ଚଳାଉଛନ୍ତି l
ଏହି ଘଟଣାକୁ ନେଇ ବାଦଲ ମୁଖୀ ଶୁଳିଆପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l