ରାଜ୍ୟସଭା ନିର୍ବାଚନ ତାରିଖ ଯେତିକି ପାଖଉଛି, ବିରୋଧୀ କ୍ୟାମ୍ପର ଚିନ୍ତା ସେତେ ଅଧିକ ବଢୁଛି । ବିଜେଡିର କିଛି ବିଧାୟକ, ଏଯାଏଁ ନବୀନଙ୍କ ନିଷ୍ପତ୍ତିରେ ସହମତ ହେଉନଥିବା ନେଇ ସଂକେତ ଦେଲେଣି । ସେପଟେ ମୋକିମ ବିଜେଡ଼ି ଓ କଂଗ୍ରେସ ମେଣ୍ଟକୁ ସମାଲୋଚନା କରିବା ପରେ ସୋଫିଆଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ବଢ଼ିଛି ଚର୍ଚ୍ଚା । ସରିଲା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ଏହାସହ ଚତୁର୍ଥ ଆସନ ପାଇଁ ଲଢେଇ ନିଶ୍ଚିନ୍ତ ହୋଇଛି । ଦତ୍ତେଶ୍ୱର ବନାମ ଦିଲ୍ଲୀପ । ସଂଖ୍ୟା ଗଣିତରେ ବିରୋଧୀ କ୍ୟାମ୍ପର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ଆଗରେ ଥିବା ବେଳେ ବିଜୟ ନେଇ ଦମ୍ଭ ବାଢୁଛନ୍ତି ଶାସକ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ବିଜେପି ନେତା ।
ଏସବୁ ଭିତରେ ବିରୋଧୀ ବିଜେଡି କ୍ୟାମ୍ପର ଜଣେ ପରେ ଜଣେ ବିଧାୟକ ସସପେନ୍ସ କାର୍ଡ ଖେଳିବା ବିଜେଡି ସୁପ୍ରିମୋଙ୍କ ଗଣିତକୁ ଓଲଟପାଲଟ କରିବା ନେଇ ଚର୍ଚ୍ଚା ବଢିଛି । ସୌଭିକଙ୍କ ପରେ ସୁବାସିନୀ । ସମୟ କହିବ କାହାକୁ ଦିଆଯିବ ଭୋଟ, କିଛି ଏଭଳି କହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ବସ୍ତା ବିଧାୟକ । ହେଲେ ପ୍ରଶ୍ନ ଉଠୁଛି, ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି ଦଳୀୟ ବିଧାୟକ ? ନବୀନଙ୍କ ନିଷ୍ପତ୍ତିକୁ ନେଇ ବିଜେଡି ବିଧାୟକଙ୍କ ମଧ୍ୟରେ ଅଛି କି ଅସନ୍ତୋଷ ? ଏଭଳି ସ୍ଥିତିରେ ପାଳିପାଳି କରି ବିଧାୟକଙ୍କୁ ଡାକି ଆଲୋଚନା କଲେଣି ବିଜେଡି ମୁଖିଆ । ଦିଲ୍ଲୀପଙ୍କ ନଜର ବିରୋଧୀ କ୍ୟାମ୍ପର ବିଧାୟକଙ୍କ ଉପରେ ରହିଛି ।
ସମ୍ପର୍କ, ସାହାଯ୍ୟ ଓ ବିଜୁ ଲିଗାସୀର କାର୍ଡ ଖେଳି ଦିଲ୍ଲୀ ଯିବାକୁ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀପ । ହେଲେ କଂଗ୍ରେସର ତୁଙ୍ଗ ନେତା ତାରା ବାହିନୀପତି କହିଛନ୍ତି, ଦିଲ୍ଲୀପ ରାୟଙ୍କ ସହ ମୋର ଭଲ ସମ୍ପର୍କ । ହେଲେ କଂଗ୍ରେସରୁ ଖଣ୍ଡିଏ ଭୋଟ୍ ଦିଲ୍ଲୀପଙ୍କ ଖାତାକୁ ଯିବନି । ତେବେ ଦେଖିବାକୁ ବାକି ରହିଲା ଆଗକୁ ରାଜ୍ୟସଭା ନିର୍ବାଚନ କେଉଁ ମୋଡ଼ ନେଉଛି।