ଘୁର୍ଣ୍ଣିଝଡର ପ୍ରଳୟଙ୍କରୀ ପ୍ରଭାବରେ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଏହାର ପ୍ରଭାବରେ ବିଭିନ୍ନ ଗ୍ରାମର ଏକ ଶହରୁ ଉର୍ଦ୍ଧ୍ୱ ବାସଗୃହ ପ୍ରଭାବିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ସହ ତିରିଶରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ମିଳିଥିବା ସୂଚନାରୁ ଜଣାପଡ଼ିଛି l ତେଵେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ନେଇ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି l ସେହିପରି ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହିତ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ବେଳେ ତାକୁ ହଟା ଯାଇଥିବା ଦେଖିବାକୁ ମିଳିଛି l ତେଵେ କାଳବୈଶାଖିର ପ୍ରଭାବରେ ଘୁର୍ଣ୍ଣିଝଡ଼ ହୋଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଅନେକ ଅଞ୍ଚଳରେ ଭୟଙ୍କର ତାଣ୍ଡବ ରଚିଛି । ଘୂର୍ଣ୍ଣିବାତ୍ୟାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଶରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଅନେକ ଘର ଭାଙ୍ଗିଯାଇଥିବା ସହ ଏକ ଯାତ୍ରୀବାହୀ ଅଟୋକୁ ପବନ ଉଠାଇ ପୋଖରୀରେ ପକେଇଦେଇଥିବା ଭଳି ଭୟଙ୍କର ଘଟଣା ଘଟିଛି। ଗତକାଲି ରବିବାର ଅପରାହ୍ନ ପ୍ରାୟ ୩ଟାରୁ ୪ଟା ମଧ୍ୟରେ କରଞ୍ଜିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ହଠାତ କାଳବୈଶାଖୀ ବାତ୍ୟା ଆସି ଭୟଙ୍କର ତାଣ୍ଡବ ରଚିଥିଲା। ଘୂର୍ଣ୍ଣିବାତ୍ୟାର ପ୍ରଭାବରେ ଅନେକ ଘରର ଚାଳ, ଖପର ଓ ଆସବେଷ୍ଟସ ଛାତ ଉଡିଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସବୁଠାରୁ ଭୟଙ୍କର ଘଟଣା ଥିଲା, ପବନରେ ଏକ ଯାତ୍ରୀବାହୀ ଅଟୋ ପ୍ରାୟ ୬୦ ଫୁଟ ଉପରକୁ ଉଠି ପାଖରେ ଥିବା ଏକ ପୋଖରୀରେ ପଡ଼ିଯାଇଥିଲା। ସେହି ଅଟୋରେ ୬ ଜଣ ଯାତ୍ରୀ ଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି।
ଏହି କାଳବୈଶାଖୀରେ ସମଗ୍ର ଅଞ୍ଚଳରେ ପ୍ରାୟ ତିରିଶରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। କରଞ୍ଜିଆ ବ୍ଲକର ମୋଟା, ଡୁମୁରିଆ, କଙ୍କଡା, ନାକୁଡାବଳା, କିଆପାଣପୋଷୀ ଓ ଟାଟୋ ସହିତ ଅନେକ ଗ୍ରାମରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଭାବିତ ଅଞ୍ଚଳରେ ପ୍ରାୟ ୬୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଚିକିତ୍ସାଳୟକୁ ପଠାଇଥିଲେ।
କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅନ୍ୟପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୃତକଙ୍କ ପାରିବାରକୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି l ସେହିପରି ବାସହରା ପରିବାରକୁ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ଦାବି ହେଉଛି