ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,
ରାଇରଙ୍ଗପୁର ବନାଞ୍ଚଳ ଅଞ୍ଚଳରୁ ଏକ ୧୨ ଚକିଆ ଟ୍ରକ ଯୋଗେ ଆକାଶିଆ ଏବଂ ମୂଲ୍ୟବାନ ଶାଳଗଣ୍ଡି ବେଆଇନ ଭାବେ ରାସଗୋବିନ୍ଦପୁର ରେଞ୍ଜ ଆଡକୁ ଯାଉଥିବା ବେଳେ ଉକ୍ତ ରେଞ୍ଜ ଅଧୀନ ବାରିପଦା-ଚିତ୍ରଡା-ଅମର୍ଦ୍ଦା ୬୧ ନମ୍ବର ରାଜ୍ୟ ରାଜପଥର ବାଘୁଆଶୋଳ ନିକଟରେ କାଠ ବୋଝେଇ ଟ୍ରକର ଚକା ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପରେ ଉକ୍ତ ଟ୍ରକରେ କାଠଗଣ୍ଡି ଥିବାର ସୂଚନା ପାଇ ଘଟଣାସ୍ଥଳରେ ଏସସିଏଫ ମେହେରବାନ ଅଲ୍ଲୀ, ରେଞ୍ଜର ଘନଶ୍ୟାମ ସିଂ, ଫରେଷ୍ଟର, ଫରେଷ୍ଟ ଗାର୍ଡ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖିବା ସହିତ କାଠ ବୋଝେଇ ଟ୍ରକକୁ ଜବତ କରିଛନ୍ତି।
ତେବେ ଆକାଶିଆ କାଠର ଅନୁମତି ଥିବା ବେଳେ ଟ୍ରକରେ ଶାଳଗଣ୍ଡି ମଧ୍ୟ ଅଛି। ଏସବୁର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।