ମୟୂରଭଞ୍ଜ ଜିଲ୍ଲା ତିରିଂଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମର ଜନୈକ ସଂଖ୍ୟାଲଘୁ ଯୁବକଙ୍କ ଦ୍ବାରା ନିକଟସ୍ଥ ସନାପୋଷି ଗ୍ରାମର ଜନୈକ ଆଦିବାସୀ ନାବାଳିକା ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଯାହାକୁନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ଘରକୁ ଆସି ଆକ୍ରମଣ ଉଦ୍ୟମ କରିଥିଲେ।
ଘଟଣାସ୍ଥଳରେ ରାତି ତମାମ ଉତ୍ତେଜନା ମୁଳକ ପରିସ୍ଥିତି ଲାଗି ରହିଥିବାବେଳେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଏସଡିପିଓଙ୍କ ସହିତ ପୋଲିସ ଫୋର୍ସ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆଜି ସକାଳୁ ଉତ୍ତ୍ୟକ୍ତ ଗ୍ରାମବାସୀ ବହଳଦା ବଜାର ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଖବରପାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବିଡ଼ିଓ , ତହସିଲଦାର, ବିଭିନ୍ନ ଥାନାର ଅଧିକାରୀ ଓ ପୋଲିସ ଫୋର୍ସ ଉପସ୍ଥିତ ରହି ବୁଝାଶୁଝା କାର୍ଯ୍ୟ ଜାରି ରଖିଥିଲେ। ହେଲେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପୋଲିସ ମଧ୍ୟରେ କଥା କଟାକଟି ସହିତ ଠେଲାପେଲା ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ଗ୍ରାମବାସୀଙ୍କ ମିଳିତ ଆକ୍ରମଣ ଫଳରେ ୯ ଜଣ ପୋଲିସ ଆହତ ହୋଇଥିବା ଜଣାପଡିଛି।
ସେପଟେ ବର୍ତ୍ତମାନ ତିରିଂ ଥାନାରେ ପିଡିତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟର ବୁଝାଶୁଝା ପରେ ଗ୍ରାମବାସୀ 6 ଘଣ୍ଟାର ରାସ୍ତା ଅବରୋଧରୁ ଅହରିବା ପରେ ଗାଡ଼ିମଟର ଚଳାଚଳ ସ୍ୱାଭାବିକ ହୋଇଥିଲା। ସେହିପରି ପୀଡ଼ିତାଙ୍କୁ ଉଚିତ ନ୍ୟାୟ ଓ ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ଦେବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପ୍ରତିଶୃତି ଦେଲାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।