କରଞ୍ଜିଆ ଅଞ୍ଚଳରେ ଅବୈଧ ଦେଶୀ ମହୁଲି ମଦ ତିଆରି ଓ ବିକ୍ରୟ ଦିନକୁଦିନ ବଢ଼ି ଚାଲିଥିବା ବେଳେ ଏହି ବେଆଇନ କାରବାର ଉପରେ କଡ଼ା ନଜର ରଖିଛି ସ୍ଥାନୀୟ ଅବକାରୀ ବିଭାଗ। ଆଜି କରଞ୍ଜିଆ ବ୍ଲକ ଅନ୍ତର୍ଗତ ଜରାସାହି ଓ ଦୁଧିଆଣି ଗ୍ରାମ ନିକଟସ୍ଥ ନଦୀ-ନାଳ, ଝରଣା କଡ଼ରେ ଦେଶୀ ମହୁଲି ମଦ ପ୍ରସ୍ତୁତ ହେଉଥିବା ନେଇ କୌଣସି ବିଶେଷ ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଛି ।
ଅବକାରୀ ଉପ-ନିରୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ କରଞ୍ଜିଆ ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଓଆଇସି ରଶ୍ମି ରଞ୍ଜନ ନାୟକ, ଏଏସଆଇ ଫୁଲମଣି ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ଅତର୍କିତ ଭାବରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ପ୍ରାୟ ୪୯୫ ଲିଟର ଦେଶୀ ମହୁଲି ମଦ ଓ ୬୮୦୦ କେଜି ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଥିଲା। ଜବତ ହୋଇଥିବା ମହୁଲି ମଦ ଓ ପୋଚକୁ ଘଟଣାସ୍ଥଳରେ ହିଁ ନଷ୍ଟ କରିବଦିଆଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଏନେଇ କାହାକୁ ଗିରଫ କରାଯାଇନଥିବା ବେଳେ ଅବକାରୀ ଥାନାରେ ୨୩୫ ଓ ୨୩୬/୨୫-୨୬ ନଂରେ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ଆଜିର ଏହି ଚଢଉ ପ୍ରଭାବରେ ଅବୈଧ ମଦ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ବିରୋଧରେ ଏପରି ଚଢ଼ାଉ ଅଭିଯାନ ଜାରୀ ରହିବ। ଅବକାରୀ ବିଭାଗର ଏହି କଡ଼ା କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକମାନେ ସ୍ୱାଗତ କରିଥିବା ବେଳେ ଅବୈଧ ମଦ ବ୍ୟବସାୟ ଉପରେ ଆହୁରି କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି।