ଟଙ୍କା ପଇସା ଆଗରେ ସମ୍ପର୍କ ପାଲଟିଯାଉଛି ତୁଚ୍ଛ l ରକ୍ତ ଭୁଲି ଯାଉଛି ରକ୍ତର ସମ୍ପର୍କ l ସାମାନ୍ୟ କେତୋଟି ଟଙ୍କା ପାଇଁ ପୁଅ ଭୁଲି ଗଲା ରକ୍ତର ସମ୍ପର୍କ l ବାପା ଟଙ୍କା ନ ଦେବାରୁ ନୃଶଂସ ଭାବେ ପିଟିପିଟି ମାରିଦେଲା ପୁଅ l ତେଵେ ଗାଁ ଗହଳିରେ ନିଶାଦ୍ରବ୍ୟର ପ୍ରଭାବ ଯେତେ ବଢୁଛି ସମ୍ପର୍କର ମହତ୍ତ୍ୱ ସେତେ କମୁଛି l ମାତ୍ର କ୍ଷମତାକୁ ଆସିବା ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ଏବେର କ୍ଷମତାସୀନ ଲୋକଙ୍କ ସରକାର ଦୃଢ଼କ୍ତି କରିଥିଲେ ରାଜ୍ୟରୁ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାର ପ୍ରତିଶ୍ରୁତି ଦେଇ ଏବେ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇ ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି l
ଏହା ଏବେ କେବଳ ଗାଁ ଗହଳିରେ ସୀମିତ ନୁହେଁ ବରଂ ସହରରେ ମଧ୍ୟ ବହୁଳ ଭାବରେ ଦେଖିବାକୁ ମିଳୁଛି l କିନ୍ତୁ ନିଶାର ପ୍ରସାର ଦ୍ୱାରା ଓଡିଶାବାସୀଙ୍କ କୋଉ ସ୍ୱାର୍ଥ ସାଧନ କରୁଛନ୍ତି ଜନମଙ୍ଗଳକାରୀ ସରକାର l ଆଉ ଏହି ନିଶା ପାଇଁ ଚାଲିଗଲା ଗୋଟେ ମୂଲ୍ୟବାନ ଜୀବନ l ନିଶା କରିବା ପାଇଁ ଟଙ୍କା ନ ଦେବାରୁ ରକ୍ତ ଚିହ୍ନିଲାନି ରକ୍ତ l ବାପାକୁ ପିଟିପିଟି ନୃଶଂସ ଭାବେ ହତ୍ୟା କରିଛି ପୁଅ l ତାହା ପୁଣି ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଛି ପୁଅ।
ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ। ଘଟଣା ଅନୁଯାୟୀ ହଳଦୀପାଳ ପଞ୍ଚାୟତର ଲଦ ଡ଼ିହି ଗ୍ରାମର ଗୋବିନ୍ଦ ମାର୍ଣ୍ଡି(୮୦)ଙ୍କ ଠାରୁ ତାଙ୍କ ପୁଅ ମଧୁ ମାର୍ଣ୍ଡି(୩୬) ପ୍ରତିଦିନ ଟଙ୍କା ନିଅନ୍ତି। ତେବେ ଗତକାଲି ବୁଧବାର ରାତି ୯ଟା ସମୟରେ ଗୋବିନ୍ଦ ଶୋଇଥିବା ସମୟରେ ପୁଅ ମଧୁ ତାଙ୍କୁ ସଜନା ଛୁଇଁ ବିକ୍ରି କରି ବାପା ଗୋବିନ୍ଦ ରଖିଥିବା ୪୦୦ଟଙ୍କା ମାଗିଥିଲେ। ଗୋବିନ୍ଦ ମନା କରିବାରୁ ନିଶାସକ୍ତ ପୁଅ ମଧୁ ଗୋବିନ୍ଦଙ୍କୁ ଏକ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଆଜି ପୂର୍ବାହ୍ନ ୧୦ଟା ସମୟରେ ଖବରପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମଧୁଙ୍କୁ ଅଟକ ରଖିଛନ୍ତି। ତେବେ ପୂର୍ବରୁ ମଧ୍ୟ ବାପାଙ୍କ ଭତ୍ତାଟଙ୍କା ଜୋରଜବରଦସ୍ତ ଛଡାଇ ନେଉଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ । ତେଵେ ଆଜିର ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିବା ସହିତ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହିତ ହତ୍ୟାକାରୀ ପୁଅକୁ କଠୋର ଦଣ୍ଡ ପ୍ରଦାନ କରାଯିବାକୁ ଦାବି ହେଉଛି l