ଅବକାରୀ ବିଭାଗକୁ ଚକମା ଦେଇ ଅଭିନଵ ଉପାୟରେ ଚଳାଇଥିଲେ ବେଆଇନ ମଦ କାରଖାନା, ହେଲେ ସବୁ ଉଦ୍ୟମ ଓ ଚେଷ୍ଟା ଶେଷରେ ଫେଲ ମାରିଛି l ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଅବୈଧ ଦେଶୀ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରୟ ବିରୋଧରେ ଅବକାରୀ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁପ୍ତ ସୂଚନା ଆଧାରରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଜରାସାହି ଗ୍ରାମ ନିକଟସ୍ଥ ନଦୀ-ନାଳ ଓ ଝରଣା କୂଳରେ ଚାଲୁଥିବା ଅବୈଧ ମଦ ତିଆରି କାରଖାନା ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା।
ଏହି ଅଭିଯାନ କରଞ୍ଜିଆ ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଚାଲିଥିଲା। ତାଙ୍କ ସହ ଓଆଇସି ରଶ୍ମି ରଞ୍ଜନ ନାୟକ, ଏଏସଆଇ ଫୁଲମଣି ନାୟକ ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଦଳଟି ଅତର୍କିତ ଭାବରେ ସ୍ଥଳରେ ପହଞ୍ଚି ବ୍ୟାପକ ତଲାଶି ଅଭିଯାନ ଚାଲାଇଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ପ୍ରାୟ ୨୩୫ ଲିଟର ଦେଶୀ ମହୁଲି ମଦ ଓ ପ୍ରାୟ ୩୮୦୦ କେଜି ମହୁଲ ପଚୋ ଜବତ କରାଯାଇଥିଲା।
ଏହି ପଚୋକୁ ମଦ ପ୍ରସ୍ତୁତି ପାଇଁ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଅବକାରୀ ବିଭାଗର ଦଳ ଜବତ ହୋଇଥିବା ସମସ୍ତ ମହୁଲି ମଦ ଓ ପଚୋକୁ ସ୍ଥଳରେ ନଷ୍ଟ କରିଦେଇଥିବା ସୂଚନା ମିଳିଛି। ଏହାସହିତ, ଚଢ଼ାଉ ସମୟରେ ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରଇବାରି ଗାଗରାଇ (୩୨), ଯାହାଙ୍କ ପାଖରୁ ୧୮ ଲିଟର ମହୁଲି ମଦ ଜବତ ହୋଇଛି। ଓ ରାଞ୍ଚି ବାଙ୍କିରା (୩୭), ଯାହାଙ୍କ ପାଖରୁ ୧୫ ଲିଟର ମଦ ଜବତ କରାଯାଇଛି।
ଏନେଇ କରଞ୍ଜିଆ ଅବକାରୀ ଥାନାରେ ୨୩୯ ଓ ୨୪୦/୨୫-୨୬ ନମ୍ବରରେ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗର ଅଧିକାରୀ ଶ୍ରୀ ନାୟକ କହିଛନ୍ତି ଯେ, ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ବିରୋଧରେ ଏପରି କଡ଼ା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ଚଢ଼ାଉ ପରେ ଅବୈଧ ମଦ ବ୍ୟବସାୟୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଛି।