ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଗତ ରାତି ପ୍ରାୟ ୨ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସେଠାରେ ବସବାସ କରୁଥିବା ରାମ ଚନ୍ଦ୍ର ବଳଙ୍କ ଘରରେ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଘରଟି ଜଳି ପାଉଁଶ ହୋଇଯାଇଥିଲା।
ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଭଦ୍ରକ ଦମକଳ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଭଦ୍ରକରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ଅଗ୍ନିକୁ ଆୟତ କରିଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତଥାପି ଏହି ଅଗ୍ନିକାଣ୍ଡରେ କାହାରି ପ୍ରାଣହାନି କିମ୍ବା କାହାରି ଆହତ ହେବାର ସୂଚନା ମିଳିନାହିଁ।
ହେଲେ ଘର ସହ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ବହୁତ ଆର୍ଥିକ କ୍ଷତି ହୋଇଥିବା ଅନୁମାନ କରାଯାଉଛି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଚିନ୍ତାର ପରିବେଶ ଦେଖାଦେଇଛି।