ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଜୀବନ ପାଇଁ କିଏ ବା ନ ଚାହେଁ । ସେଥିପାଇଁ ଅଧିକାଂଶ ଲୋକ ଅନେକ ପଦକ୍ଷେପ ନେଇଥାନ୍ତି । ଦିନ ଆରମ୍ଭ ହେବା ସହିତ ସେମାନେ ସେମାନଙ୍କ ଶରୀର ପ୍ରତି ସଚେତନ ରହିଥାନ୍ତି । ବର୍ତ୍ତମାନ ଯୁଗର ପିଢିମାନେ ସେମାନଙ୍କ ଶରୀରକୁ ନେଇ ବହୁତ କିଛି କରୁଛନ୍ତି । ଜିମରେ ଜଏନ୍ କରିବା ସହିତ ଡାଏଟ୍ ମଧ୍ୟ କରୁଛନ୍ତି । ଡାଏଟରେ କାକୁଡି, ଡ୍ରାଏଫ୍ରୁଟ୍ ସହିତ କଳାଚଣାକୁ ଖାଉଛନ୍ତି । କଳାଚଣା ସୁସ୍ଥ ଶରୀର ପାଇଁ ଲାଭପ୍ରଦ ବୋଲି ବିବେଚନା କରାଯାଉଛି । ତେବେ କଳାଚଣାର ଫାଇଦା ସମ୍ପର୍କରେ ଜାଣିବା ।
କଳା ଚଣାରେ ପ୍ରୋଟିନ୍, ଫାଇବର ଏବଂ ଆଇରନ୍ ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି। କଳା ଚଣାକୁ ପୁଷ୍ଟିକର ତତ୍ତ୍ୱର ଭଣ୍ଡାର ମଧ୍ୟ କୁହାଯାଏ। ପ୍ରତିଦିନ କଳାଚଣା ଖାଇବା ଦ୍ବାରା ସ୍ୱାସ୍ଥ୍ୟକୁ ମଜବୁତ କରିବାରେ ପ୍ରଭାବଶାଳୀ ହୋଇଥାଏ । ଏହାକୁ ଭିଜାଇ କିମ୍ବା ସିଝା ଆକାରରେ ଖାଇପାରିବେ । ତେବେ ଆମେ ଆପଣଙ୍କୁ ଏହାର ସ୍ବାସ୍ଥ୍ୟଭିତ୍ତିକ ଗୁଣ ସମ୍ପର୍କରେ ଜଣାଇବୁ ।
କଳା ଚଣା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ । ଏହାକୁ ଖାଇବା ଲିଷ୍ଟରେ ନିଶ୍ଚିନ୍ତ ଆଡ୍ କରନ୍ତୁ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାଠାରୁ ଦୂରରେ ରଖିବ ।
କଳା ଚଣାରେ ଅଧିକ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଖାଇବା ଦ୍ବାରା ପେଟ ଜନିତ ସମସ୍ୟାଠାରୁ ରକ୍ଷା କରିଥାଏ । କଳା ଚଣା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ । ଯଦି ଆପଣ ଏହାକୁ ଖାଦ୍ୟରେ ସାମିଲ କରନ୍ତି ତେବେ ଆପଣଙ୍କ ଥକାପଣ ଏବଂ ଦୁର୍ବଳତା ସମସ୍ୟାରୁ ମୁକ୍ତି ଦେଇଥାଏ ।